3
ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ।
ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ;
ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ।
ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜ୍ଜନକାରୀ ସିଂହ ସଦୃଶ୍ୟ;
ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।
ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି;
ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି।
ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ;
ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ।
ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ୱଂସିତ ହୋଇଅଛି;
ଆମ୍ଭେ ସେମାନଙ୍କର ପଥସକଳ ଧ୍ୱଂସ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ;
ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ।
ଆମ୍ଭେ କହିଲୁ, “ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବ;
ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ ସ୍ଥାନ ଉଚ୍ଛିନ୍ନ ହେବ ନାହିଁ;
ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ।”
ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ;
କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା,
ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି;
କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।
ଗୋଷ୍ଠୀଗଣଙ୍କ ପରିବର୍ତ୍ତନ
ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ
ଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।
10 ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ।
11 ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ;
କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା
ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ।
12 ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା,
ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ।
13 ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ;
କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।”
ଇସ୍ରାଏଲର ଆନନ୍ଦ ଓ ପୁନଃରୁଦ୍ଧାର
14 ଗୋ ସିୟୋନ କନ୍ୟେ,* ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର;
ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର।
15 ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି;
ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ।
16 ସେହି ଦିନ ଯିରୂଶାଲମକୁ କୁହାଯିବ,
ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।
17 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ;
ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ,
ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
18 ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା।
19 ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା;
ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା;
ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।
20 ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା;
କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ
ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା,” ଏହା ସଦାପ୍ରଭୁ କହନ୍ତି।
* 3:14 ସିୟୋନ କନ୍ୟେ, ଅର୍ଥାତ୍‍ ଇସ୍ରାଏଲର ଲୋକମାନେ 3:14 ଯିରୂଶାଲମ କନ୍ୟେ, ଅର୍ଥାତ୍‍ ଯିରୂଶାଲମର ଲୋକମାନେ