22
ଦାଉଦଙ୍କ ବିଜୟ ଗୀତ
1 ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେହି ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ;
2 ସେ କହିଲେ,
“ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ରକ୍ଷାକର୍ତ୍ତା,
3 ମୋହର ଶୈଳ ସ୍ୱରୂପ ପରମେଶ୍ୱର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି।
ମୋହର ଢାଲ ଓ ମୋହର ପରିତ୍ରାଣ ସ୍ୱରୂପ ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ;
ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରିଥାଅ।
4 ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ;
ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି।
5 କାରଣ ମୃତ୍ୟୁୁରୂପ ଲହରୀ ମୋତେ ବେଷ୍ଟନ କଲା,
ଦୁଷ୍ଟମାନଙ୍କ ପ୍ଲାବନ(ଜୁଆର) ମୋତେ ଭୀତ କଲା।
6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା,
ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।
7 ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ହଁ, ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି;
ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ
ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା।
8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା,
ଗଗନମଣ୍ଡଳର ମୂଳସକଳ ଉଦ୍ବିଗ୍ନ
ଓ ଟଳମଳ ହେଲା, କାରଣ ସଦାପ୍ରଭୁ ପ୍ରଜ୍ୱଳିତ ହୋଇ ଉଠିଲେ।
9 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା
ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା;
ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।
10 ମଧ୍ୟ ସେ ଆକାଶମଣ୍ଡଳକୁ ମେଲା କରି ଓହ୍ଲାଇ ଆସିଲେ
ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା।
11 ପୁଣି ସେ କିରୂବ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ;
ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ।
12 ସେ ଅନ୍ଧକାରକୁ, ଅର୍ଥାତ୍, ଜଳରାଶି
ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ୱରୂପ କଲେ।
13 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ
ଆଗ୍ନେୟ-ଅଙ୍ଗାର ପତିତ ହେଲା।
14 ସଦାପ୍ରଭୁ ଆକାଶରୁ ଗର୍ଜ୍ଜନ କଲେ
ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ।
15 ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ;
ବିଜୁଳି ଦ୍ୱାରା ସେମାନଙ୍କୁ ବିଚ୍ଛିନ୍ନ କଲେ।
16 ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ
ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ
ସମୁଦ୍ରର ଗର୍ଭ ପ୍ରକାଶ ପାଇଲା
ଓ ଭୂମଣ୍ଡଳର ମୂଳସକଳ ଦେଖାଗଲା।
17 ସେ ଉର୍ଦ୍ଧ୍ବରୁ (ହାତ) ବଢ଼ାଇଲେ, ସେ ମୋତେ ଧରିଲେ;
ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ।
18 ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ;
କାରଣ ସେମାନେ ମୋʼ ଠାରୁ ଅତି ବଳବାନ ଥିଲେ।
19 ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ;
ମାତ୍ର ସଦାପ୍ରଭୁ ମୋର ସହାୟ ହେଲେ।
20 ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ପହଞ୍ଚାଇଲେ;
ସେ ମୋତେ ରକ୍ଷା କଲେ, କାରଣ ସେ ମୋʼ ଠାରେ ସନ୍ତୁଷ୍ଟ ହେଲେ।
21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ;
ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ।
22 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି
ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ।
23 ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା
ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ।
24 ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି
ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି।
25 ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ
ଓ ତାହାଙ୍କ ଦୃଷ୍ଟିରେ ମୋହର ପବିତ୍ରତାନୁସାରେ ମୋତେ ଫଳ ଦେଲେ।
26 ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ
ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ।
27 ଶୁଚି ଲୋକ ପ୍ରତି ତୁମ୍ଭେ ଆପଣାକୁ ଶୁଚି ଦେଖାଇବ
ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ।
28 ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କର;
ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ।
29 ହେ ସଦାପ୍ରଭୋ, ତୁମ୍ଭେ ମୋହର ପ୍ରଦୀପ;
ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ।
30 କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ;
ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ।
31 ସେ ପରମେଶ୍ୱର, ତାହାଙ୍କ ପଥ ଯଥାର୍ଥ;
ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷାସିଦ୍ଧ;
ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ।
32 ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର?
ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଆଉ କିଏ ଶୈଳ?
33 ପରମେଶ୍ୱର ମୋହର ଦୃଢ଼ ଆଶ୍ରୟ;
ସେ ସିଦ୍ଧ ଲୋକଙ୍କୁ ଆପଣା ପଥରେ କଢ଼ାଇ ନିଅନ୍ତି।
34 ସେ ମୋʼ ର ପାଦକୁ ହରିଣୀର ପାଦ ତୁଲ୍ୟ କରନ୍ତି
ଓ ସେ ମୋତେ ମୋʼ ର ଉଚ୍ଚସ୍ଥଳୀରେ ବସାନ୍ତି।
35 ସେ ମୋʼ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି;
ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ।
36 ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣରୂପ ଢାଲ ଦେଇଅଛ;
ତୁମ୍ଭର ନମ୍ରତା (ଦୟା) ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
37 ତୁମ୍ଭେ ମୋʼ ତଳେ ମୋର ପାଦ ରଖିବା ସ୍ଥାନ ପ୍ରଶସ୍ତ କରିଅଛ
ଓ ମୋହର ଗୋଇଠି ଖସି ଯାଇ ନାହିଁ।
38 ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି
ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ।
39 ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ, ସେମାନେ ଆଉ ଉଠି ନ ପାରନ୍ତି;
ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି।
40 ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ କଟି ପରି ବଳ ଦେଇଅଛ;
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ।
41 ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋʼ ଆଡ଼େ ଫେରାଇଲ,
ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି।
42 ସେମାନେ କ୍ରନ୍ଦନ କଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନ ଥିଲା;
ସଦାପ୍ରଭୁଙ୍କ ପ୍ରତି ମଧ୍ୟ (ଅନାଇଲେ), ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
43 ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି,
ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି।
44 ତୁମ୍ଭେ ମଧ୍ୟ ମୋʼ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ;
ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ;
ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ।
45 ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କଲେ;
ସେମାନେ ମୋʼ ବିଷୟ ଶୁଣିବାମାତ୍ରେ ମୋହର ଆଜ୍ଞାବହ ହେଲେ।
46 ବିଦେଶୀୟମାନେ ଆପଣାମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିଲେ।
47 ସଦାପ୍ରଭୁ ନିତ୍ୟଜୀବୀ; ମୋହର ଶୈଳ ଧନ୍ୟ ହେଉନ୍ତୁ
ଓ ମୋʼ ପରିତ୍ରାଣର ଶୈଳ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।
48 ସେହି ପରମେଶ୍ୱର ମୋʼ ପକ୍ଷରେ ପରିଶୋଧ ନିଅନ୍ତି
ଓ ଗୋଷ୍ଠୀୟମାନଙ୍କୁ ମୋʼ ତଳେ ନତ କରନ୍ତି।
49 ପୁଣି ସେ ମୋʼ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି;
ହଁ, ତୁମ୍ଭେ ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ;
ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ।
50 ଏହେତୁ ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି
ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।
51 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି;
ସେ ଆପଣା ଅଭିଷିକ୍ତ ପ୍ରତି,
ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତକାଳ ଦୟା ପ୍ରକାଶ କରନ୍ତି।”