ମଲାଖି ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଲେଖକ
ମଲାଖି 1:1 ଭବିଷ୍ୟଦ୍ବକ୍ତା ମଲାଖିଙ୍କୁ ଏହି ପୁସ୍ତକର ଲେଖକ ଭାବରେ ପ୍ରକାଶ କରେ। ଏବ୍ରୀ ଭାଷାରେ ଏହି ନାମର ଅର୍ଥ ବାର୍ତ୍ତାବାହକ ଅଟେ ଯାହା ମଲାଖିଙ୍କର ଭୂମିକାକୁ ପ୍ରଭୁଙ୍କର ଏକ ଭବିଷ୍ୟଦ୍ବକ୍ତା ଭାବେ ସୂଚାଏ, ଯିଏ ପରମେଶ୍ୱରଙ୍କ ବାର୍ତ୍ତାକୁ ପରମେଶ୍ୱରଙ୍କର ଲୋକମାନଙ୍କୁ ଦିଏ। ଦୁଇଟି ଭାବନାରେ “ମଲାଖି” ବାର୍ତ୍ତାବାହକ ଅଟନ୍ତି ଯିଏ ଆମ୍ଭମାନଙ୍କ ନିକଟକୁ ଆଣନ୍ତି ଏବଂ ତାହାଙ୍କ ବାର୍ତ୍ତା ଏହା ଅଟେ ଯେ ଭବିଷ୍ୟତରେ ପରମେଶ୍ୱର ଅନ୍ୟ ଏକ ବାର୍ତ୍ତାବାହକଙ୍କୁ ପ୍ରେରଣ କରିବେ। ମହାନ ଭବିଷ୍ୟଦ୍ବକ୍ତା ଏଲୀୟ ପ୍ରଭୁଙ୍କ ଦିନ ପୂର୍ବରୁ ଆସିବେ।
ସମୟ ଓ ସ୍ଥାନ
ପ୍ରାୟ 430 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହି ପୁସ୍ତକ ନିର୍ବାସନ ପରବର୍ତ୍ତୀ ପୁସ୍ତକ ଅଟେ। ଅର୍ଥାତ୍, ଏହା ବାବିଲର ବନ୍ଦୀତ୍ୱରୁ ପ୍ରତ୍ୟାବର୍ତ୍ତନ କଲା ପରେ ଲେଖାଯାଇଥିଲା।
ପ୍ରାପକ
ଯିରୂଶାଲମରେ ବାସ କରୁଥିବା ଯିହୁଦୀ ଏବଂ ସାଧାରଣ ଭାବରେ ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କୁ।
ଉଦ୍ଦେଶ୍ୟ
ପରମେଶ୍ୱର ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସମସ୍ତ ବିଷୟ କରି ପାରିବେ ଏବଂ ଯେତେବେଳେ ସେ ବିଚାରକର୍ତ୍ତା ଭାବେ ଆସିବେ ସେ ସେମାନଙ୍କର ବିଚାର କରିବେ ଏବଂ ଆଶୀର୍ବାଦ ପୁରା ହେବା ନିମନ୍ତେ ପାପରୁ ମନପରିବର୍ତ୍ତନ କରିବାକୁ ଲୋକମାନଙ୍କୁ ପ୍ରୋତ୍ସାହନ କରିବା ଏହି ପୁସ୍ତକର ଉଦ୍ଦେଶ୍ୟ ଥିଲା। ମଲାଖିଙ୍କ ଦ୍ଵାରା ଏହା ପରମେଶ୍ୱରଙ୍କ ବାର୍ତ୍ତା ଥିଲା ଯେ ତାହାଙ୍କର ଲୋକମାନେ ତାହାଙ୍କ ନିକଟକୁ ଫେରି ଆସନ୍ତୁ। ଯେପରି ପୁରାତନ ନିୟମର ଶେଷ ପୁସ୍ତକ ସମାପ୍ତ ହୁଏ, ପରମେଶ୍ୱରଙ୍କ ବିଚାର ଏବଂ ଖ୍ରୀଷ୍ଟଙ୍କ ଆଗମନର ଘୋଷଣା ଇସ୍ରାଏଲମାନଙ୍କ କର୍ଣ୍ଣରେ ପ୍ରତିଧ୍ଵନିତ ହୁଏ।
ବିଷୟବସ୍ତୁ
ବାହ୍ୟାଚାରନିଷ୍ଠାର ଭର୍ତ୍ସନା
ରୂପରେଖା
1. ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ଯାଜକମାନଙ୍କୁ ଉପଦେଶ — 1:1-2:9
2. ବିଶ୍ୱସ୍ତ ରହିବା ନିମନ୍ତେ ଯିହୁଦାକୁ ଉପଦେଶ — 2:10-3:6
3. ପରମେଶ୍ୱରଙ୍କ ନିକଟକୁ ଫେରି ଆସିବା ନିମନ୍ତେ ଯିହୁଦାକୁ ଉପଦେଶ — 3:7-4:6
1
1 ମଲାଖିଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା।
ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ ପ୍ରେମ
2 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ। ତଥାପି ତୁମ୍ଭେମାନେ କହୁଅଛ, ‘ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ?’ ” ସଦାପ୍ରଭୁ କହନ୍ତି, “ଏଷୌ କି ଯାକୁବର ଭାଇ ନ ଥିଲା? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।
3 ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”
4 ଇଦୋମ କହୁଅଛି, “ଆମ୍ଭେମାନେ ନିପାତିତ ହୋଇଅଛୁ ନିଶ୍ଚୟ, ମାତ୍ର ଆମ୍ଭେମାନେ ଫେରି ଉଜାଡ଼ ସ୍ଥାନସବୁ ନିର୍ମାଣ କରିବା।” ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେମାନେ ନିର୍ମାଣ କରିବେ, ମାତ୍ର ଆମ୍ଭେ ଭାଙ୍ଗି ପକାଇବା ଆଉ, ଲୋକମାନେ ସେମାନଙ୍କୁ ଦୁଷ୍ଟତାର ଦେଶ ଓ ପରମେଶ୍ୱରଙ୍କର ନିତ୍ୟ କ୍ରୋଧର ପାତ୍ର ସ୍ୱରୂପ ଗୋଷ୍ଠୀ ବୋଲି ନାମ ଦେବେ।”
5 ପୁଣି, ତୁମ୍ଭମାନଙ୍କର ସ୍ଵଚକ୍ଷୁ ତାହା ଦେଖିବ ଓ ତୁମ୍ଭେମାନେ କହିବ, “ସଦାପ୍ରଭୁ ଇସ୍ରାଏଲର ସୀମାର ବାହାରେ ମଧ୍ୟ ମହାନ ଅଟନ୍ତି।”
ସଦାପ୍ରଭୁଙ୍କ ଯାଜକମାନଙ୍କୁ ଭର୍ତ୍ସନା
6 “ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’
7 ଆମ୍ଭ ଯଜ୍ଞବେଦିର ଉପରେ ଅଶୁଚି ରୁଟି ଉତ୍ସର୍ଗ କରି, ତଥାପି ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭକୁ ଅଶୁଚି କରିଅଛୁ? ସଦାପ୍ରଭୁଙ୍କ ମେଜ ଯେ ତୁଚ୍ଛ,’ ଏହା କହି, ତାହା କରୁଅଛ।
8 ପୁଣି, ତୁମ୍ଭେମାନେ ଯଜ୍ଞ ନିମନ୍ତେ ଯେତେବେଳେ ଅନ୍ଧ ପଶୁ ଉତ୍ସର୍ଗ କର, ତାହା କʼଣ ମନ୍ଦ ନୁହେଁ? ଓ ଯେତେବେଳେ ଲେଙ୍ଗଡ଼ା ଓ ରୋଗୀ ପଶୁ ଉତ୍ସର୍ଗ କର, ସେ କʼଣ ମନ୍ଦ ନୁହେଁ? ଏବେ ତୁମ୍ଭର ଦେଶାଧ୍ୟକ୍ଷକୁ ତାହା ଭେଟି ଦିଅ; ସେ କି ତୁମ୍ଭ ପ୍ରତି ପ୍ରସନ୍ନ ହେବେ? ଅବା ସେ କି ତୁମ୍ଭଙ୍କୁ ଗ୍ରହଣ କରିବେ? ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
9 ଆଉ, ପରମେଶ୍ୱର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କରୁଅଛ; ମାତ୍ର ତୁମ୍ଭମାନଙ୍କ ଏପରି ଆଚରଣ ଦେଖି ସେ କʼଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ? ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
10 ଆଃ, ତୁମ୍ଭେମାନେ ଯେପରି ବୃଥାରେ ଆମ୍ଭ ଯଜ୍ଞବେଦି ଉପରେ ଅଗ୍ନି ଜ୍ୱଳାଇ ନ ପାରିବ, ଏଥିପାଇଁ କବାଟ ବନ୍ଦ କରିବାକୁ ଯଦି ତୁମ୍ଭମାନଙ୍କ ମଧ୍ୟରେ ଜଣେ ଥାଆନ୍ତା! ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କଠାରେ ଆମ୍ଭର କିଛି ସନ୍ତୋଷ ନାହିଁ, ଆଉ ତୁମ୍ଭମାନଙ୍କ ହସ୍ତରୁ ଆମ୍ଭେ ନୈବେଦ୍ୟ ଗ୍ରହଣ କରିବା ନାହିଁ।
11 କାରଣ ସୂର୍ଯ୍ୟର ଉଦୟଠାରୁ ତହିଁର ଅସ୍ତ ହେବା ପର୍ଯ୍ୟନ୍ତ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଆମ୍ଭ ନାମ ଉଦ୍ଦେଶ୍ୟରେ ଧୂପ ଓ ପବିତ୍ର ନୈବେଦ୍ୟ ଉତ୍ସର୍ଗ କରାଯାଉଅଛି; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ।
12 ମାତ୍ର ସଦାପ୍ରଭୁଙ୍କର ମେଜ ଅଶୁଚି ହୋଇଅଛି ଓ ତହିଁର ଫଳ, ଅର୍ଥାତ୍, ତାହାଙ୍କର ଖାଦ୍ୟ ତୁଚ୍ଛ, ଏହା କହି ତୁମ୍ଭେମାନେ ସେହି ନାମକୁ ଅଶୁଚି କରୁଅଛ।
13 ଆହୁରି, ତୁମ୍ଭେମାନେ କହୁଅଛ, ‘ଦେଖ, ଏହା କିପରି କ୍ଳାନ୍ତିଜନକ’ ଓ ତୁମ୍ଭେମାନେ ତାହା ତୁଚ୍ଛଜ୍ଞାନ କରିଅଛ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଆଉ, ତୁମ୍ଭେମାନେ ବଳାତ୍କାରରେ ଧୃତ ଓ ଲେଙ୍ଗଡ଼ା ଓ ରୋଗୀ ପଶୁ ଆଣିଅଛ; ଏହିରୂପେ ତୁମ୍ଭେମାନେ ନୈବେଦ୍ୟ ଆଣୁଅଛ; ଏହା କି ଆମ୍ଭେ ତୁମ୍ଭମାନଙ୍କ ହସ୍ତରୁ ଗ୍ରହଣ କରିବା? ଏହା ସଦାପ୍ରଭୁ କହନ୍ତି।
14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଅଭିଶପ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ମହାନ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।”