21
ଲେବୀର ଅଧିକାର
ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ; ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।” ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗରସମୂହ ଓ ତହିଁର ତଳିଭୂମି ଦେଲେ।
ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ୍ ବଂଶରୁ ତେର ନଗର ପାଇଲେ।
ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧ ବଂଶରୁ ଦଶ ନଗର ପାଇଲେ।
ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେର ନଗର ପାଇଲେ। ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
ଏହିରୂପେ ଇସ୍ରାଏଲ-ସନ୍ତାନଗଣ, ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ। ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି। 10 ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା। 11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା। 12 ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।
13 ପୁଣି ହାରୋଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗରର ହିବ୍ରୋଣ ଓ ତହିଁ ତଳିଭୂମି ଓ ଲିବ୍‍ନା ଓ ତହିଁ ତଳିଭୂମି, 14 ଯତ୍ତୀର ଓ ତହିଁ ତଳିଭୂମି, ଇଷ୍ଟିମୋୟ ଓ ତହିଁ ତଳିଭୂମି, 15 ହୋଲୋନ୍‍ ଓ ତହିଁ ତଳିଭୂମି, ଦବୀର ଓ ତହିଁ ତଳିଭୂମି, 16 ଐନ୍‍ ଓ ତହିଁ ତଳିଭୂମି, ଯୁଟା ଓ ତହିଁ ତଳିଭୂମି, ବେଥ୍-ଶେମଶ ଓ ତହିଁ ତଳିଭୂମି, ସେହି ଦୁଇ ବଂଶରୁ ଏହି ନଅ ନଗର ଦେଲେ। 17 ପୁଣି ବିନ୍ୟାମୀନ୍ ବଂଶରୁ ଗିବୀୟୋନ୍‍ ଓ ତହିଁ ତଳିଭୂମି, ଗେବା ଓ ତହିଁ ତଳିଭୂମି, 18 ଅନାଥୋତ୍‍ ଓ ତହିଁ ତଳିଭୂମି, ଅଲମୋନ ଓ ତହିଁ ତଳିଭୂମି; ଚାରି ନଗର। 19 ହାରୋଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ହେଲା।
20 ଆଉ କହାତର ଅବଶିଷ୍ଟ ସନ୍ତାନଗଣ, ଅର୍ଥାତ୍‍, କହାତ-ସନ୍ତାନ ଲେବୀୟମାନଙ୍କ ବଂଶସମୂହ ଇଫ୍ରୟିମ ବଂଶରୁ ଆପଣାମାନଙ୍କ ନଗର ବାଣ୍ଟ ପାଇଲେ। 21 ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଇଫ୍ରୟିମ-ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଶିଖିମ ଓ ତହିଁ ତଳିଭୂମି ଓ ଗେଷର ଓ ତହିଁ ତଳିଭୂମି, 22 କିବ୍‍ସୟିମ୍‍ ଓ ତହିଁ ତଳିଭୂମି, ବେଥ୍-ହୋରଣ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 23 ପୁଣି ଦାନ୍ ବଂଶରୁ ଇଲତ୍‍କୀ ଓ ତହିଁ ତଳିଭୂମି, ଗିବ୍ବଥୋନ ଓ ତହିଁ ତଳିଭୂମି, 24 ଅୟାଲୋନ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 25 ଆଉ ମନଃଶିର ଅର୍ଦ୍ଧ ବଂଶରୁ ତାନକ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ। 26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ ଦଶ ନଗର ହେଲା।
27 ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ। 28 ପୁଣି ଇଷାଖର ବଂଶରୁ କିଶୀୟୋନ୍‍ ଓ ତହିଁ ତଳିଭୂମି, ଦାବରତ୍‍ ଓ ତହିଁ ତଳିଭୂମି, 29 ଯର୍ମୂତ୍‍ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 30 ଆଉ ଆଶେର ବଂଶରୁ ମିଶାଲ ଓ ତହିଁ ତଳିଭୂମି, ଅବଦୋନ୍‍ ଓ ତହିଁ ତଳିଭୂମି, 31 ହିଲକତ୍‍ ଓ ତହିଁ ତଳିଭୂମି, ରହୋବ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 32 ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତହିଁ ତଳିଭୂମି, ହମୋତ୍‍-ଦୋର ଓ ତହିଁ ତଳିଭୂମି, କର୍ତ୍ତନ ଓ ତହିଁ ତଳିଭୂମି, ଏହି ତିନି ନଗର ଦେଲେ। 33 ଆପଣା ଆପଣା ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ପାଇଲେ।
34 ଏଉତ୍ତାରେ ସେମାନେ ମରାରି-ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବୂଲୂନ ବଂଶରୁ ଯଗ୍ନିୟାମ ଓ ତହିଁ ତଳିଭୂମି, କାର୍ତ୍ତା ଓ ତହିଁ ତଳିଭୂମି, 35 ଦିମ୍ନା ଓ ତହିଁ ତଳିଭୂମି, ନହଲୋଲ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 36 ପୁଣି ରୁବେନ୍‍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଯହସ ଓ ତହିଁ ତଳିଭୂମି, 37 କଦେମୋତ୍‍ ଓ ତହିଁ ତଳିଭୂମି, ମେଫାତ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ। 38 ଆଉ ଗାଦ୍‍ ବଂଶରୁ ଗିଲୀୟଦ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ରାମୋତ୍‍ ଓ ତହିଁ ତଳିଭୂମି, ମହନୟିମ ଓ ତହିଁ ତଳିଭୂମି, 39 ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ। 40 ଏରୂପେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ଅର୍ଥାତ୍‍, ମରାରି-ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା; ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା।
41 ଇସ୍ରାଏଲ-ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ ଅଠଚାଳିଶ ନଗର ଲେବୀୟମାନଙ୍କର ହେଲା। 42 ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।
ଇସ୍ରାଏଲର ଦେଶ ଅଧିକାର
43 ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ; ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ। 44 ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। 45 ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ; ସବୁ ସଫଳ ହେଲା।