18
ଅବଶିଷ୍ଟାଂଶ ଅଞ୍ଚଳର ବଣ୍ଟନ
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। ସେସମୟରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଅଧିକାର-ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ। ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?” ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ। ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ; ଦକ୍ଷିଣ ଦିଗରେ ଆପଣା ସୀମାରେ ଯିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋଷେଫ-ବଂଶ ରହିବେ। ଏହିରୂପେ ତୁମ୍ଭେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ; ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍‍ ଓ ରୁବେନ୍‍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।
ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।” ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ। 10 ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ।
ବିନ୍ୟାମୀନ୍‍ର ଅଧିକାର
11 ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା। 12 ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। 13 ସେଠାରୁ ସେ ସୀମା ଲୂସ୍‍କୁ ବା ଦକ୍ଷିଣ ଆଡ଼େ ଲୂସ୍‍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, (ଏହାକୁ ବେଥେଲ୍‍ କହନ୍ତି); ପୁଣି ନୀଚସ୍ଥ ବେଥ୍-ହୋରଣର ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରୋତ୍‍-ଅଦ୍ଦର ଆଡ଼କୁ ଗଡ଼ିଗଲା। 14 ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବେଥ୍-ହୋରଣ ଦକ୍ଷିଣସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯାଇ ଯିହୁଦା-ସନ୍ତାନଗଣର କିରୀୟଥ୍‍-ବାଲବା କିରୀୟଥ୍‍-ଯିୟାରୀମ୍‍ ନାମକ ନଗର ପର୍ଯ୍ୟନ୍ତ ଗଲା; ଏ ପଶ୍ଚିମ ସୀମା। 15 ପୁଣି ଦକ୍ଷିଣ ସୀମା କିରୀୟଥ୍‍-ଯିୟାରୀମ୍‍ର ପ୍ରାନ୍ତରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଗଲା। 16 ଆଉ ସେହି ସୀମା ରଫାୟୀମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା ଓ ହିନ୍ନୋମ ଉପତ୍ୟକା ଦେଇ ଯିବୂଷର ଦକ୍ଷିଣ ପାର୍ଶ୍ୱକୁ ଗଡ଼ିଆସି ଐନ୍‍-ରୋଗେଲକୁ ଗଲା। 17 ପୁଣି ଉତ୍ତର ଦିଗରେ ଫେରି ଐନ୍‍-ଶେମଶ୍‍ ନିକଟରେ ଗଲା ଓ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗଲୀଲୋତ ଆଡ଼କୁ ଯାଇ ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। 18 ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖ ପାର୍ଶ୍ୱ ଦେଇ ପଦାଭୂମିକୁ ଗଡ଼ିଗଲା 19 ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା। 20 ପୂର୍ବ ଦିଗରେ ଯର୍ଦ୍ଦନ ତହିଁର ସୀମା ଥିଲା; ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା।
21 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ବଂଶର ନଗର ଯିରୀହୋ ଓ ବେଥ୍-ହୋଗ୍ଲା ଓ ଏମକ୍‍-କତ୍‍ଶିସ୍‍ 22 ଓ ବେଥ୍-ଅରାବା ଓ ସୀମାରୟମ୍‍ ଓ ବେଥେଲ୍‍ 23 ଓ ଅବ୍ବୀମ୍‍ ଓ ପାରା ଓ ଅଫ୍ରା, 24 କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର। 25 ଗିବୀୟୋନ୍‍ ଓ ରାମା ଓ ବେରୋତ 26 ଓ ମିସ୍ପେ ଓ କଫୀରା ଓ ମୋତ୍ସା 27 ଓ ରେକମ ଓ ଯିର୍ପେଲ ଓ ତରଲା 28 ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।